ଭୁବନେଶ୍ବର : ରାଜ୍ୟରେ କଂଗ୍ରେସକୁ ସୁଧାରିବା ପାଇଁ ଚେଷ୍ଟା କରି ଶେଷରୁ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ରାଜ୍ୟରେ କଂଗ୍ରେସର ଦିଶାହୀନ ନେତୃତ୍ବ ଏବଂ ରାଷ୍ଟ୍ରୀୟସ୍ତରରେ ଖାଡଗେଙ୍କ ଭଳି ଜଣେ 83 ବର୍ଷୀୟ ବୃଦ୍ଧ ନେତା ନେତୃତ୍ବ ନେବାକୁ ନେଇ ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ କଂଗ୍ରେସରେ ଭୂକମ୍ପନ ସୃଷ୍ଟି ହୋଇଥିଲା । ମୋକିମଙ୍କ ଚିଠି ପରେ ପିସିସି ସଭାପତି ଭକ୍ତ ଦାସ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଆଇସିସିକୁ ଲେଖିଥିଲେ । ମାତ୍ର ଦଳକୁ ସୁଧାରିବା ପାଇଁ ମୋକିମଙ୍କ ଚିଠି ଏବେ ତାଙ୍କ ପାଇଁ ବୁମେରାଂ ହୋଇଛି । ଦଳରୁ ବହିଷ୍କୃତ ହେବା ପରେ ମୋକିମ କହିଛନ୍ତି ସେ ତାଙ୍କର ନେତା ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିଲେ । ରାହୁଲ କହୁଥିଲେ ଦଳ ପାଇଁ ଡରିବା ଉଚିତ ନୁହେଁ । ତେଣୁ ସେ ଦଳକୁ ସୁଦୃଢ କରିବା ପାଇଁ ନିର୍ଭୀକ ଭାବେ ସୋନିଆଙ୍କୁ ଚିଠି ଲେଖିଥିଲେ । ଏବେ ସେ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ସହ ସେ ପରାମର୍ଶ କରି ରାଜନୈତିକ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ତାଙ୍କ ବିରୋଧରେ ଦଳୀୟ ନେତୃତ୍ବର ନିଷ୍ପତ୍ତି ତାଙ୍କ ଝିଅ ସୋଫିଆଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି ।