ଭୁବନେଶ୍ୱର ଟିପିସିଓଡିଏଲ୍ ସର୍କଲ୍-୧ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ନିର୍ବାହୀଯନ୍ତ୍ରୀଙ୍କର ବହୁତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଞ୍ଚୟ ଆକାଉଣ୍ଟ ଥିବା ଜଣାପଡ଼ିଛି । ସମସ୍ତ ଜମାରାଶିକୁ ମିଶାଇ ମୋଟ ୧ କୋଟି ୮୫ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି । ଗୁରୁବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ତଲାସ ସମୟରେ, ତାଙ୍କ ବାସଭବନରୁ ୯,୫୩,୨୦୦ ଟଙ୍କା ନଗଦ ମିଳିଥିଲା ଏବଂ ଜବତ କରାଯାଇଥିଲା । ଏଥିମଧ୍ୟରୁ ଅନେକ ନଗଦ ଜମା ବେଆଇନ ଲାଞ୍ଚ ଟଙ୍କାରୁ କରାଯାଇଥିବା ସନ୍ଦେହ କରାଯାଉଛି । ଏତେ ଟଙ୍କାର ଜମା ରାଶି କେଉଁଠୁ ଆସିଲା ସେ ନେଇ ଜେରା ଜାରି ରହିଛି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଲାଞ୍ଚ ନେବାବେଳେ ଗତକାଲି ରାତିରେ ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମ୍ମୁଖରୁ ଧରିଥିଲା । ଅଭିଯୋଗକାରୀ ଆପାର୍ଟମେଣ୍ଟ ବିଲ୍ଡିଂର ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଇଞ୍ଜିନିୟର ତୁଷାରକାନ୍ତ ରାୟଙ୍କୁ କହିଥିଲେ । ସେ ବାରମ୍ବାର ଇଞ୍ଜିନିୟରଙ୍କୁ ଏଥିପାଇଁ ଦାବି କରିଆସୁଥିଲେ , ରିପୋର୍ଟ ଦେବାକୁ ତୁଷାରକାନ୍ତ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଏହି ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଅଭିଯୋଗକାରୀଙ୍କୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାଙ୍କ ବାସଭବନକୁ ଡାକିଥିଲେ । ସେଠାରେ ପହଞ୍ଚିବା ପରେ, ସେ ତାଙ୍କୁ ତାଙ୍କ ଘର ବାହାରେ ଏକ ପାର୍କକୁ ନେଇଯାଇଥିଲେ । ସେଠାରେ ସେ ତାଙ୍କୁ ଟଙ୍କା ଦେବାକୁ କହିଥିଲେ, ତାଙ୍କ ଗତିବିଧି ଉପରେ ନଜର ରଖି ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଧରିଥିଲେ ।