
ଭୁବନେଶ୍ୱର :ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍ରେ କାର୍ଯ୍ୟରତ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ଆଜି ପିପିଲି ନିକଟ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳା ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ଟି ସ୍କୁଟିକୁ ଧକ୍କା ଦେଇଥିଲା।ପରେ ସ୍କୁଟରଟିକୁ ପ୍ରାୟ ୨୦ରୁ ୩୦ମିଟର ଘୋଷାଡ଼ି ନେଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପ୍ରମେୟ ନ୍ୟୁଜ୍-୭ ସାମ୍ବାଦିକା ଶିଲା ପଟ୍ଟନାୟକ ବୋଲି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଜବତ କରିଥିବା ବେଳେ ଫେରାର ଥିବା ସାରଳା ବସ୍ ଧରିବାକୁ ଉଦ୍ୟମ ଜାରି ରଖିଛି।
