
ଭୁବନେଶ୍ବର: ବିଜେଡି ମଙ୍ଗ ଧରିବେ ସୁଜାତା କାର୍ତ୍ତିକେୟନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଦଳ ଭିତରେ ଚୂଡାନ୍ତି ହୋଇସାରିଲାଣି । ସୁଜାତାଙ୍କୁ ବିରୋଧ କରୁଥିବା ଏବଂ ବିରୋଧ କରିବା ପାଇଁ ପଛରେ ରହି ଗୋଟି ଚାଳନା କରୁଥିବା ନେତାମାନଙ୍କୁ କୋଣଠେସା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିୟାନ ପତ୍ନୀ ସୁଜାତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ କରିବା ପାଇଁ ତିଆରି କରିଥିବା ମାଷ୍ଟରପ୍ଲାନରେ ଖୁବଶୀଘ୍ର ମୋହର ମାରିବେ ନବୀନ । ସୁଜାତାଙ୍କୁ ଉତ୍ତରାଧିକାରୀ ଘୋଷଣା କରିବା ପାଇଁ ପାଣ୍ଡିୟାନଙ୍କ ଟିମ୍ ନବୀନଙ୍କୁ ବୁଝାଇ ସାରିଛନ୍ତି । ଏବେ କେବଳ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି କିଛି ନେତା ଓ ନେତ୍ରୀଙ୍କୁ ସୁଜାତାଙ୍କ ସପକ୍ଷରେ ରାଜନୀତିକ ହାଓ୍ୱା ସୃଷ୍ଟି କରିବା ପାଇଁ କାମରେ ଲଗାଯାଇଛି । ବୟସାଧିକ୍ୟ ଯୋଗୁ ନବୀନ ଆଉ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତସ କରିବା ସମ୍ଭବ ହେଉନି । ତେଣୁ ସୁଜାତାଙ୍କୁ ସାମନାରେ ରଖି ଦଳକୁ ଆଗକୁ ନେବା ପାଇଁ ସ୍ଥିର ହୋଇଥିବା ଜଣାପଡିଛି । 2026ରେ ବିଜେଡିର ଚିତ୍ର ବଦଳିଯିବ । ଏପରିକି ସୁଜାତାଙ୍କୁ ଦଳ ଭିତରେ ବିରୋଧ କରୁଥିବା ନେତାଙ୍କ ମୁହଁ ଚୁପ୍ କରିବା ପାଇଁ ସୁଜାତାଙ୍କୁ ପ୍ରଥମେ ରାଜ୍ୟସଭା ପଠାଯିବ । ରାଜ୍ୟସଭାକୁ ଯିବା ସହ ସୁଜାତାଙ୍କ ରାଜନୈତିକ ଏଣ୍ଟ୍ରି ସହଜ ହୋଇଯିବ । ସୁଜାତା ସାଂସଦ ହେବା ପରେ ଦଳ ଭିତରେ ତାଙ୍କୁ ବିରୋଧ କରୁଥିବା ନେତାଙ୍କ ପାଟିକୁ କେମିତି ଚୁପ୍ କରାଯିବ, ସେ କାମ ପାଣ୍ଡିୟାନଙ୍କୁ ଭଲ ଭାବେ ଜଣା । ଏବେ ଦଳୀୟ ଛାତ୍ର ଯୁବ କମିଟିକୁ ଚୟନ କରାଯାଇଥିବା ଯୁବନେତାମାନଙ୍କ ଚେହେରାରୁ ତାହା ସ୍ପଷ୍ଟ ହୋଇସାରିଲାଣି । ସୁଜାତାଙ୍କୁ ଦଳ ଭିତରେ ଯେତିକି ବିରୋଧ କରାଯାଉଛି, ଖୋଲାଖୋଲି ସମର୍ଥନ କରୁଥିବା ନେତାଙ୍କୁ ଏବେ ପାଣ୍ଡିୟାନଙ୍କ ଗୋଷ୍ଠୀ ଗୋଟେଇବାରେ ଲାଗିଛନ୍ତି । ଏହା ହେଲେ ଖୁବ୍ କମ୍ ଦିନରେ ଶଙ୍ଖ ଦଳର ଲଗାମ୍ ସୁଜାତାଙ୍କ ହାତକୁ ଆସିଯିବ ।
