
ଭୁବନେଶ୍ୱର :ପର୍ଯ୍ୟଟନ ନିବେଶର ଡେଷ୍ଟିନେସନ ପାଲଟିଛି ଓଡ଼ିଶା । ଆହୁରି ପ୍ରୋତ୍ସାହନ ଦେବେ ସରକାର । ପର୍ଯ୍ୟଟକଙ୍କୁ ମିଳିବ ରାଜ୍ୟର ସମୃଦ୍ଧ ସାସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭବ । ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି- ୨୦୨୬ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ।ଯେବେ ବି ପର୍ଯ୍ୟଟନ ସ୍ଥଳର କଥା ଆସେ ସେବେ ଆମ ରାଜ୍ୟ ଓଡ଼ିଶାର ନାମ ଆପେ ଆପେ ଆଗକୁ ଆସିଯାଏ। ଶ୍ରୀମନ୍ଦିର ହେଉ ବା ମା’ ସମଲେଶ୍ବରୀଙ୍କ ଶକ୍ତି ପୀଠ ହେଉ, କୋଣାର୍କରେ ଖୋଦିତ ଭାସ୍କର୍ଯ୍ୟ ହେଉ ବା ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ, ସୌନ୍ଦର୍ଯ୍ୟମୟୀ ଚିଲିକା ହେଉ ବା ଶିମିଳିପାଳ, ବେଳାଭୂମି ହେଉ ବା ସ୍ମାରକୀ’ ଏ ସମସ୍ତକୁ ନେଇ ଓଡ଼ିଶା, ସମଗ୍ର ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି। ତେବେ ବର୍ତ୍ତମାନର ପରିସ୍ଥିତିରେ ଓଡ଼ିଶା ସରକାର ପର୍ଯ୍ୟଟନ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ।
