ଭୁବନେଶ୍ବର – ବିଧାନସଭାରେ ବିଧାୟକଙ୍କ ଦରମା ବିଲ୍ ପାରିତ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଦରମା ତିନିଗୁଣା ବୃଦ୍ଦିକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଗରିବ ରାଜ୍ୟରେ ଧନୀ ବିଧାୟକ ହେବାର ସ୍ବପ୍ନକୁ ବିଭିନ୍ନ ମହଲରେ କଟୁ ସମାଲୋଚନା କରାଯାଇଥିଲା । ଲୋକ ସମାଲୋଚନାରୁ ବଞ୍ଚିବା ପାଇଁ ଆଜି ବିଜେପି ବିଧାୟକମାନେ ଦରମା ବୃଦ୍ଧିର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦରମା ବୃଦ୍ଧିର ପୁର୍ନବିଚାର କରିବାକୁ ନିବେଦନ କରିଛନ୍ତି ।  ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାୟକମାନଙ୍କ ପ୍ରସ୍ତାବକୁ ସରକାର ପୁର୍ନବିଚାର କରିବେ ବୋଲି କହିଛନ୍ତି ।