

ଭୁବନେଶ୍ୱର : ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷର ୩୫ତମ ସମୀକ୍ଷା ବୈଠକ ପୁରୀ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ-କୋଣାର୍କ ଅଞ୍ଚଳର ଐତିହ୍ୟ ସଂରକ୍ଷଣ, ସହର ପରିକଳ୍ପନା, ଗୃହ ନିର୍ମାଣ, ପାରିପାଶ୍ୱିର୍କ ଉନ୍ନୟନ ଓ ପ୍ରଶାସନିକ ସୁଦୃଢ଼ତା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ବହୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚାମନ୍ଦିର ପାର୍ଶ୍ୱ ଅଞ୍ଚଳରେ ଏକରୂପ ଡିଜାଇନ୍ ଓ ରଙ୍ଗ ବ୍ୟବସ୍ଥା, ଐତିହ୍ୟ ସ୍ଥଳ, ଐତିହ୍ୟ ଭବନ ଓ ପ୍ରାକୃତିକ ଅଞ୍ଚଳ ସଂରକ୍ଷଣ ପାଇଁ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ ଓ ଅବଗତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସହ ଏନ୍ଓସି ପ୍ରକ୍ରିୟାକୁ ସମୟ ସୀମା ଭିତ୍ତିକ କରିବା ଉପରେ ଆଲୋଚନା କରାଯାଇଥିଲା । ଯଦି ୩୦ ଦିନରେ ଏନ୍ଓସି ନମିଳେ ଗୃହ ନିର୍ମାଣ ସମ୍ପର୍କିତ ଆବେଦନକୁ ଓଡ଼ିଶା ଉନ୍ନୟନ ପ୍ରାଧିକରଣ ଆଇନ୍ ଅନୁସାରେ ପ୍ଲାନ୍ ଅନୁମୋଦନ କରାଯିବା ପ୍ରସ୍ତାବ ରଖାଯାଇଛି । ବୈଠକରେ ଟାଉନ୍ ପ୍ଲାନିଂ ସ୍କିମ୍, ବାଲୁଖଣ୍ଡରେ ପିପିପି ମଡେଲ୍ରେ ବହୁତଳ କୋଠା ନିର୍ମାଣ ପ୍ରକଳ୍ପ, ପିକେଡିଏ ପାଇଁ କ୍ୟାଡର୍ ପୁନର୍ଗଠନ ଓ କର୍ମଚାରୀ ନିଯୁକ୍ତି, ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ସ୍ଥାପନ ଏବଂ ଦୀର୍ଘକାଳୀନ କାର୍ଯ୍ୟଭାର ନେଉଥିବା କର୍ମଚାରୀଙ୍କ ନିୟମିତୀକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ସମଗ୍ର ପିକେଡିଏ ଅଞ୍ଚଳ ଓ ପ୍ରସ୍ତାବିତ ବିସ୍ତାରିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ଏକ ନୂତନ ଓ ସଂଶୋଧିତ ସମ୍ପୂର୍ଣ୍ଣ ଉନ୍ନୟନ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଅନୁମୋଦନ ଦିଆଯାଇଛି । ବୈଠକ ଶେଷରେ ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ ପାଇଁ ବଜେଟ୍ ଅନୁମୋଦନ କରାଯାଇଛି । ପୁରୀ-କୋଣାର୍କ କର୍ତ୍ତୃପକ୍ଷ ଅଧୀନ ଅଞ୍ଚଳରେ ଐତିହ୍ୟ ଓ ଧାର୍ମିକ ଗୌରବକୁ ସୁରକ୍ଷିତ ରଖି ସୁଯୋଜିତ ଓ ସୁସ୍ଥାୟୀ ଉନ୍ନୟନ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେବେ ବୋଲି ବୈଠକରେ ମନ୍ତ୍ରୀ ମହାପାତ୍ର କହିଥିଲେ ।
