ଭୁବନେଶ୍ୱର : ରାଜନୀତିରେ ପ୍ରବେଶ ଏବଂ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ଅଭିନୟରୁ ବ୍ରେକ୍ ନେଇଥିଲେ କଙ୍ଗନା ରଣାୱତ୍ । ସେବେଠୁ ରାଜନୀତି ଜୀବନରେ ସେ ବ୍ୟସ୍ତ ରହିଛନ୍ତି । ଏବେ ସେ ପୁଣି ସେହି ଜାଗାକୁ ଫେରିଛନ୍ତି, ଯେଉଁଠୁ କ୍ୟାରିଅର୍ ଆରମ୍ଭ କରିଥିଲେ । ନିଜର ଅପ୍କମିଙ୍ଗ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଛନ୍ତି । ଏ ବିଷୟରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମୈଦାନକୁ ଫେରିଛନ୍ତି ବୋଲି ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀ ଜରିଆରେ ଫ୍ୟାନ୍ଙ୍କୁ ସୂଚନା ଦେଇଛନ୍ତି କଙ୍ଗନା । ଆଗାମି ଦେଶାତ୍ମବୋଧ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ସୁଟିଂ ସେ ଆରମ୍ଭ କରିଛନ୍ତି । କଙ୍ଗନାଙ୍କୁ ବଡ଼ ପରଦାରେ ଦେଖିବାକୁ ତାଙ୍କ ଫ୍ୟାନ୍ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଶେଷ ଥର ‘ଏମର୍ଜେନ୍ସି’ରେ ସିନେ ପରଦାକୁ ଆସିଥିଲେ କଙ୍ଗନା । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ନିଜେ ଦେଇଥିଲେ । ଏଥିରେ ସେ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିର୍ବାହ କରିଥିଲେ । ତେବେ ଦର୍ଶକଙ୍କୁ ଥିଏଟରକୁ ଟାଣିବାରେ ଫିଲ୍ମ ଫେଲ୍ ହୋଇଥିଲା । ଏହା ପରେ ଆର୍. ମାଧବନ ଷ୍ଟାରର୍ ଏକ ଦ୍ୱିଭାଷୀ ଫିଲ୍ମର ସୁଟିଂ ଶେଷ କଲେ କଙ୍ଗନା । କିନ୍ତୁ ଅଦ୍ୟାବଧି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇନାହିଁ ।