ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ହଠାତ୍ ମୂଷଳଧାରା ବର୍ଷା ହେବାରୁ ସହରର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟି ବ୍ୟାପକ ହାନି ହୋଇଛି। ଅଚାନକ ବନ୍ୟାରେ ଅନେକ ଘର, ପୋଲ ଓ ଚା’ ବଗିଚା ଭାସିଯାଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଓ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପ୍ରଶାସନ ଆଶଙ୍କା କରୁଛି। ଜିଲ୍ଲା ସହର ଏବଂ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ମଧ୍ୟ ଭୁଶୁଡ଼ି ପଡ଼ିଛି । ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ସେତୁ ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି। ପାହାଡ଼ି ଜିଲ୍ଲାଗୁଡ଼ିକରେ ରାତିସାରା ଲଗାଣ ବର୍ଷା ଯୋଗୁଁ, ପଡ଼ୋଶୀ ଜିଲ୍ଲା, ଜଳପାଇଗୁଡ଼ିର ମାଲବଜାରର ଏକ ବଡ଼ ଅଞ୍ଚଳ ପାଣି ତଳେ ବୁଡ଼ି ରହିଛି। ତିସ୍ତା, ମାଲ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ ଦାର୍ଜିଲିଂରେ ଜୀବନହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ । ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି , “ଦାର୍ଜିଲିଂରେ ଦୁର୍ଘଟଣାରେ ଜୀବନ ଏବଂ ସମ୍ପତ୍ତି କ୍ଷତିରେ ଗଭୀର ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ।”