ଦିଲ୍ଲୀ : ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରଚଣ୍ଡ କୁହୁଡି ଜନ-ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶେଷକରି ଭୟଙ୍କର କୁହୁଡି ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ 0ଟି ବିମାନକୁ ବାତିଲ କରିଦିଆଯାଇଛି । କେତେକ ବିମାନ ଯାତ୍ରାକୁ ପରିବର୍ତ୍ତନ ମଧ୍ୟ କରାଯାଇଛି । ଘନ କୁହୁଡିର ଆସ୍ତରଣ ପାଇଁ ଆକାଶମାର୍ଗ କମ୍ ଦୃଶ୍ୟମାନ ହେଉଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନସେବା ବାତିଲ କରିଥିବା କହିଛନ୍ତି । ବେସାମରିକ ବିମାନସେବା ମନ୍ତ୍ରଣାଳୟ ପକ୍ଷରୁ ବିମାନସେବା ସଂପର୍କିତ ସୂଚନା ଜାରି କରାଯାଇଛି । ବିମାନ ସେବା ପାଇଁ ଟିକେଟ କରିଥିବା ଯାତ୍ରୀମାନେ ସେମାନଙ୍କ ବିମାନ ଯାତ୍ରା ସଂପର୍କରେ ସର୍ବଶେଷ ସୂଚନା ସଂଗ୍ରହ କରିବା ପରେ ଏୟାରପୋର୍ଟ ଯିବାକୁ କୁହାଯାଇଛି । ସୁରକ୍ଷିତ ଯାତ୍ରା ଆମର ପ୍ରାଥମିକତା ଏବଂ ଯାତ୍ରୀମାନେ ଏଥିରେ ସହଯୋଗ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।