
ନୂଆଦିଲ୍ଲୀ : ମାଲେସିଆ ରାଜକୁମାର ଟେଙ୍ଗକୁ ଫାକରିଙ୍କ ସହ ତାଙ୍କର ବିବାହ ଅବୈଧ ଓ ବଳପୂର୍ବକ ଥିଲା ବୋଲି କହିଛନ୍ତି ଇଣ୍ଡୋନେସିଆ-ଆମେରିକୀୟ ମଡେଲ୍ ମନୋହାରା ଓଡେଲିଆ । ମାତ୍ର ଷୋହଳ ବର୍ଷ ହୋଇଥିବା ବେଳେ ମାଲେସିଆ ରାଜକୁମାରଙ୍କ ସହ ତାଙ୍କର ବଳପୂର୍ବକ ବିବାହକୁ ନେଇ ସେ ମୁହଁ ଖୋଲିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ସେତେବେଳେ ତାଙ୍କ ବିବାହ ଇଚ୍ଛା ବିରୋଧରେ ଓ ବେଆଇନ ଥିଲା । ଏହା ଏକ ଅବୈଧ ବିବାହ ଥିଲା ଏବଂ ସେ ନାବାଳିକା ହୋଇଥିବାରୁ ନିଜ ଅଧିକାର ପାଇଁ କିଛି କହିବାକୁ ସମର୍ଥ ନ ଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ରାଜକୁମାର ଟେଙ୍ଗକୁ ଫାକରିଙ୍କ ପୂର୍ବତନ ପତ୍ନୀ କୁହାଯିବା ପ୍ରସଙ୍ଗକୁ ସେ ଅସ୍ବୀକାର କରିଛନ୍ତି ।
ବର୍ତ୍ତମାନ 33 ବର୍ଷ ବୟସରେ ପହଞ୍ଚିଥିବା ମଡେଲ୍ ଓଡେଲିଆ ତାଙ୍କ ବିବାହ ପରେ ସେ କେମିତି ଯୌନ ନିର୍ଯାତନାର ଶୀକାର ହୋଇଥିଲେ ବର୍ଣ୍ଣନା କରିଛନ୍ତି । କେଲାନ୍ତାନା ରାଜପ୍ରାସାଦ ଭିତରେ କଠୋର କଟକଣା ଭିତରେ ତାଙ୍କୁ ଶାରିରୀକ ନିର୍ଯାତନା ଦିଆଯାଉଥିଲା । ବିବାହର ଗୋଟିଏ ବର୍ଷ ତାଙ୍କ ପାଇଁ ସବୁଠୁ ଯନ୍ତ୍ରଣାଦାୟକ ଥିଲା ବୋଲି ସେ କହିଛନ୍ତି । ସଂପର୍କରେ କୌଣସି ରୋମାଣ୍ଟିକ୍ ନ ଥିଲା କି ସହମତି ନ ଥିଲା । 2009ରେ ସିଙ୍ଗାପୁରର ଏକ ହୋଟେଲରୁ ସେ ଖସି ପଳାଇ ଆସିଥିଲେ । ତେବେ ସୋସିଆଲ ମିଡିଆ ତାଙ୍କ ପରିସ୍ଥିତିକୁ ଠିକ୍ ଭାବେ ବିଚାର କରି ଭାଷା ପ୍ରୟୋଗ କରିବା ଉଚିତ ବୋଲି ସେ କହିଛନ୍ତି ।
