ଭୁବନେଶ୍ୱର: ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ପର୍ଯ୍ୟଟକମାନେ ତୁରନ୍ତ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ଆପଣାଇ ସ୍ୱଦେଶ ଫେରି ଆସିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି I ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ (Iran Protest)ତୀବ୍ର ହେବାରେ ଲାଗିଛି। ବିକ୍ଷୋଭ ଯୋଗୁ ୨୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଇରାନର ଖାମେନେଇ ସରକାର ଦମନଲୀଳା ଜାରି ରଖିଛନ୍ତି। ଏହା ବିରୋଧରେ ଆମେରିକା କ୍ରମାଗତ ଭାବେ ଇରାନକୁ ଆକ୍ରମଣର ଧମକ ଦେଇ ଚାଲିଛି। ଏହାକୁ ନେଇ ଇରାନ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଏଥିପାଇଁ ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ଜାରି କରାଯାଇଛି କଡ଼ା ପରାମର୍ଶ। ଦୀର୍ଘ ୨୦ ଦିନ ତଳେ ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିକ୍ଷୋଭକାରୀଙ୍କୁ ଇରାନ ସରକାର ହତ୍ୟା କରିବାରେ ଲାଗିଥିଲେ ହେଁ ସେମାନେ ପଛ ଘୁଞ୍ଚା ଦେଉ ନାହାନ୍ତି। ଏହାକୁ ନେଇ ଦେଶ ଭିତରେ ଗୋଟିଏ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ବିବାଦ ଚରମସୀମାରେ ପହଞ୍ଚି ଥିବା ବେଳେ ଏବେ ଭାରତୀୟମାନଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ଓ ସ୍ୱଦେଶ ଫେରି ଆସିବାକୁ କୁହାଯାଇଛି I